Unknown

 

 

 

 

 

 

 

 

 

ଟିପେ ଉଚ ପୁଅ

ଶ୍ରୀ ଗୋଦାବରୀଶ ମହାପାତ୍ର

 

ଗୋଟିଏ ଭରି ନଥିଲା ଲୋକଟିଏ ଥାଏ ଯେ, ସିଏ ସବୁ ଦିନେ ବଣରୁ କାଠ ଭାଙ୍ଗି ଆଣି ବିକିଲେ ଖାଏ । ତା’ ଘରକୁ ସିଏ, ଆଉ ତା’ ଭାରିଯା, ଦିହେଁ । ଦିନକର ପୁଷୁମାସ ରାତିରେ କ’ଣ ହେଇଚି ନା, ଦିହେଁ ଯାକ ଚୁଲିମୁଣ୍ଡରେ ବସିଚନ୍ତି, ଭାରିଯା ସେଇ ଆଲୁଅରେ ବସି ସୂତା କାଟୁଚି, ଗିରସ୍ତ କହିଲା–‘‘ଆହା, ଘରୁଟି ଆମର କେଡ଼େ ନିଛାଟିଆ ଲାଗୁଚି ! କୋଳକୁ ହେଇ ଗୋଟିଏ ଥିଲେ ସିଏ ହସି ଖେଳି ବୁଲୁଥାଆନ୍ତା, ଆମକୁ ଆଉ ଦୁଃଖ ବାଧୁ ନଥାନ୍ତା ।’’ ଭାରିଯା ସେଇଠୁ କହିଲା–‘‘ସତ କହିଲ, ତା’ ହେଇଥିଲେ କି ମୁଁ ଏତେ ହୀନିମାନିଆ ହୁଅନ୍ତି ? ମତେ ବଡ଼ ଅମୁରୁଛୁକ ଲାଗୁଚି । ପୁଅଟିଏ ହୁଅନ୍ତା ଯେ ସିଏ ଅତି ସାନ ହୁଅନ୍ତା, ମୋର ଏଇ ଟିପଠୁ ଆଉ ବଡ଼ ହୁଅନ୍ତା ନାଇଁ । ମୁଁ ତାକୁ ଖୁଆନ୍ତି, ପିଆନ୍ତି, ପାଳନ୍ତି । ଆମେ ସୁଖରେ ରହନ୍ତେ ।’’ ସତକୁ ସତ କେତେ ଦିନ ଗଲାରୁ ତାଙ୍କର ଗୋଟିଏ ପୁଅ ହେଲା ଯେ, ସିଏ ଟିପେ ଲମ୍ବ । ବାପ ମାଆ ଦେଖି ଭାରି ଆନନ୍ଦ ହେଲେ, ଦିହେଁ ଯାକ ଆଦରରେ ପୁଅ ନାଁ ଦେଲେ ‘ଟିପ’ ।

 

ଟିପର ବୟସ ହେଲା, ମାତ୍ରକ ସିଏ ଆଉ ବଢ଼ିଲା ନାଇଁ । ଯେତେ ଖୁଆଇଲେ, ପିଆଇଲେ, ସିଏ ସିମିତି ରହିଲା । ଦିନକୁ ଦିନ ଟିପର ବୁଦ୍ଧି ହେଲା, ଖେଳିଲା, ବୁଲିଲା, ଘର ଚହଳି କଲା ପାଞ୍ଚକଥା ଜାଣିଲା । ଦିନକର କ’ଣ ହେଲା ନା, ଟିପର ବାପ କାଠ ପାଇଁ ବଣକୁ ଯିବାକୁ ବାହାରିଲା । ମାତ୍ର ସେ ତ ଏକୁଟିଆ ଲୋକ, କହିଲା, ‘‘ଆଉ ଗୋଟିଏ କିଏ ଥାଆନ୍ତା ବୋଇଲେ ମୋ ପଛରେ ଶଗଡ଼ ଓଡ଼େଇ ନିଅନ୍ତା; ମୁଁ ଆଗରେ ଯାଆନ୍ତି ଭାରି ।’’ ଟିପ ସେଠୁ ବାପକୁ କହିଲା–‘‘ବାପା, ମୁଁ ନେବି । ତମେ ଯୋଉଠି କହିବ ସେଇଠି ପହଞ୍ଚେଇ ଦେବି ।’’ ତା’ କଥା ଶୁଣି ବାପ ଠୋ ଠୋ ହସି କରି କହିଲା–‘‘ତୁ ପାରିବୁ କି ରେ ! ତୁ ତ ଶଗଡ଼ ଓପରକୁ ଉଠି ପାରିବୁ ନାଇଁ-!’’ ଟିପ କହିଲା–‘‘ନାଇଁ ବାପା, ମୁଁ ପାରିବି । ମାଆ ଯେବେ ଶଗଡ଼ଟି ଯୋଡ଼ି ଦବ, ଆଉ ମତେ ନେଇ ବଳଦ କାନମୁଣ୍ଡାରେ ବସେଇ ଦବ, ତେବେ ମୁଁ ସେଇଠି ବସି ଶଗଡ଼ ଯୁଆଡ଼େ ଯିବାକୁ ହବ ବଳଦକୁ କହି କହି ଦେଉଥିବି ।’’ ବାପ କହିଲା–‘‘ହଉ, କିମିତି କରୁଚୁ ଥରେ ଦେଖିବା-।’’

 

ବାପ ଆଗରେ ବାହାରି ଗଲାରୁ ମାଆ କଅଣ କଲା ନା, ଶଗଡ଼ଟି ଯୋଚି ଦେଇ ଟିପକୁ ନେଇ ବଳଦ କାନରେ ବସେଇ ଦେଲା । ଟିପ ସେଠି ବସି ବଳଦକୁ ‘‘ଓ-ହ-ଡ଼ି’’ କରୁଥାଏ, ଆଉ ଯୁଆଡ଼େ ଯିବାକୁ ହବ କହି ଦେଉଥାଏ । ବଳଦ ସବୁଦିନ ଯିମିତି ଶଗଡ଼ ଭିଡ଼ନ୍ତି, ସେଦିନ ସିମିତି ଭିଡ଼ିଲେ; ତାଙ୍କୁ ତାଙ୍କ ବଡ଼ସାଉ ଓଡ଼େଇଲା ପରି ଲାଗିଲା । କେତେ ବାଟ ଗଲାରୁ ଶଗଡ଼ ଭାରି ଧାଇଁଲା । ଟିପ ସେଠୁ ଶଗଡ଼ ଗୋଟିଏ ଗୋଟିଏ ନବାକୁ ବଳଦଙ୍କୁ ପାଟି କରି ‘ହ ହ’ କଲା । ବାଟରେ ଦି’ ଜଣ ଲୋକ ଯାଉଥିଲେ ଯେ, ସେମାନେ ଟିପର ‘ହ’ ‘ହ’ ପାଟି ଶୁଣିଲେ । ଜଣେ ସେଠୁ ଜଣକୁ କହିଲା–‘‘ଇଏ କିମିତି କଥା, ଖାଲି ଶଗଡ଼ଟା ତ ଯାଉଚି, ଆଉ ବଳଦକୁ ପାଟି କରି ଓଡ଼ଉଚି କିଏ ? ଆର ଜଣକ କହିଲା–‘‘ଇଏ ତ ବଡ଼ ଆଶିରିଯ କଥା ! ଚାଲ ଆମେ ଏଇ ଶଗଡ଼ ପଛେ ପଛେ ଯିବା ଯେ, କୁ’ଠାକୁ ଯିବ ଦେଖିବା ।’’ ଦିହେଁଯାକ ସିମିତି ଶଗଡ଼ ପଛେ ପଛେ ଗଲେ-। ଟିପର ବାପ ଯୋଉଠି ଥିଲା, ଶଗଡ଼ ସେଇଠି ଯାଇ ପହଞ୍ଚିଲା । ଟିପ ବାପକୁ ଦେଖି ପାଟି କରି କହିଲା–‘‘ଦେଖ୍ ବାପା ! ମୁଁ କିମିତି ଶଗଡ଼ ଘିନି ଆସିଲି । ମତେ ଓହ୍ଲେଇ ଦେ ।’’ ବାପ ସେଠୁ ଡେବିରି ହାତରେ ବଳଦକୁ ଧରି ଖାଇବା ହାତରେ ଟିପକୁ ଓହ୍ଲେଇ ଦେଲା । ପୁଞ୍ଜିଏ ପାଳ ତଳେ ପକେଇ ଦେଇ ତାକୁ ତା’ ଓପରେ ବସେଇ ଦେଲା । ଟିପ ଭାରି ଖୁସି ହେଇ ବସିଲା । ଇଏ ଯୋଉ ଦି’ଜଣ ଲୋକ ଯାଇଥିଲେ, ଏ କଥା ଦେଖି ଭାରି ଆଶିରିଯ ହେଲେ । ଜଣେ ସେଠୁ ଜଣକୁ କହିଲା–‘‘ଇଏ ପିଲାଟିକି ଯେବେ ଆମେ ନିଅନ୍ତେ, ଗାଁ ଗାଁ ବୁଲେଇ ବହୁତ ରୋଜଗାର କରନ୍ତେ । ଚାଲ, ଆମେ ୟାକୁ କିଣି କରି ନେଇଯିବା ।’’ ତହୁଁ ସେମାନେ ଟିପର ବାପକୁ ପଚାରିଲେ–‘‘ହଇ ହେ ଭାଇ, ଏ ପିଲାଟିକି ତମେ ବିକିବ କି ? କେତେ ହେଲେ ଦବ ?’’ ଟିପର ବାପ କହିଲା–‘‘ଇଏ କିମିତି କଥା କହୁଚ, ମୋ କୋଳର ସଙ୍ଖାଳିକି ମୁଁ ବିକି ଦେବି ? ସୁନା ରୂପା ଗଦା କଲେ ତ ମୁଁ ତାକୁ ଦେବି ନାଇଁ ।’’ ଲୋକ ଦିହେଁ ଯେତେବେଳେ ଅନେକ ଟଙ୍କା ସୁନା ଦବାକୁ କହିଲେ, ଟିପ ତା’ ଶୁଣି ଭାରି ଖୁସି ହେଲା–ଖୁପୁରୁ ଖୁପୁରୁ ହୋଇ ବାପାର ଅଣ୍ଟା ଓପରକୁ ଚଢ଼ିଗଲା । ସେଠୁ ତା’ କାନ ପାଖରେ ବସି ତୁନି ତୁନି କରି କହିଲା–‘‘ବାପା, କିଛି ଭୟ କର ନାଇଁ ତାଙ୍କଠୁ ଟଙ୍କା ରଖ, ମତେ ସିଏ ନିଅନ୍ତୁ; ମୁଁ ତାଙ୍କ ପାଖରୁ ବେଗେ ଫେରି ଆସିବି ଯେ ।’’

 

ବାପ ବଡ଼ କଷ୍ଟରେ ଶେଷକୁ ଗଦେ ସୁନା ରୂପା ପାଇ ଟିପକୁ ବିକି ଦେଲା । ଟିପ ବାପାକୁ ଦଣ୍ଡବତ ହେଇ ଏ ଦି’ଜଣଙ୍କ ପାଖକୁ ଆସିଲାରୁ ଏ ପଚାରିଲେ–‘‘ଟିପ, ତମେ କୁ’ଠି ବସିବ-?’’ ଟିପ କହିଲା–‘‘ମତେ ତମ ତଲାରି ଓପରେ ବସେଇ ଦିଅ । ସେଠି ମତେ ବଡ଼ ସୁଖ ହବ, ମୁଁ ଓପରେ ବସି ସବୁ ଦେଖୁଥିବି ଏଣେ ତେଣେ ବୁଲୁଥିବି ।’’ ଟିପକୁ ତଲାରି ଓପରେ ବସେଇ ଦେଇ ବାଟୋଇ ଦି’ଜଣ ଚାଲିଲେ । ଏଇମିତି କେତେ ବାଟ ଗଲେ । ଯାଉ ଯାଉ ବେଳ ବୁଡ଼ିଲା । ଟିପ ତଲାରି ଓପରେ ଥାଇ କହିଲା–‘‘ଏ ଭାଇ, ମତେ ବୁଲି ବୁଲି ବଡ଼ ହାଲିଆ ଲାଗିଲାଣି, ତଳକୁ ଟିକିଏ ଓହ୍ଲେଇ ଦିଅ ।’’

 

ଲୋକଟି ବାଟ ତଡ଼ରେ ତଲାରିଟିକି କାଢ଼ି ଥୋଇ ଦେଲା; ଟିପକୁ ଓହ୍ଲେଇ ଦେଲା । ସେଠି କଅଣ ହେଇଥିଲା ନା, ଗୋଟେ ଚାଷ କିଆରୀ ଥିଲା ଯେ, ସେଥିରେ ବଡ଼ ବଡ଼ ତାଡ଼ ଉଠିଥିଲା । ଟିପ ସେଇ କିଆରୀ ଶିଆରରେ ଭାରି ଖୁସି ହେଇ ଏଣେ ତେଣେ ଧାଇଁଲା । ସେଇ କିଆରୀ ତଡ଼ରେ ଗୋଟେ ବଡ଼ ମୂଷାଗାତ ଥିଲା । ଟିପ ଧାଉଁ ଧାଉଁ ସେଇ ଗାତ ଭିତରକୁ ଗଳକିନି ଗଳି ପଡ଼ିଲା । ଗଳି ପଡ଼ିଲାରୁ ପାଟିକରି ଡାକିଲା–‘‘ଗଲି ହୋ ଭାଇ ଗଲି, ଧାଇଁ ଆସ, ଧାଇଁ ଆସ, ଗାତରେ ପଡ଼ିଗଲି ।’’ ଏ ଦିହେଁ ଯିମିତି ଶୁଣିଲେ ସିମିତି ଧାଇଁଲେ । କେତେଥର ବାଡ଼ିମୁଣ୍ଡି ଗାତ ଭିତରକୁ ପୂରେଇଲେ, ହେଲେ, ଟିପ ଆଉ ବାହାରିଲା ନାଇଁ । ଭିତରକୁ ଭିତରକୁ ପଶିଯାଇ କୁଆଡ଼େ ଲୁଚିକରି ରହିଗଲା । ବାଟୋଇ ଦି’ଜଣ ଆଉ କ’ଣ କରିବେ କି, ବେଶି ଅନ୍ଧାର ହେଇଗଲାରୁ ବାଟେ ବାଟେ ଗୋଟିଏ ଗୋଟିଏ ଫେରିଗଲେ ।

 

ଟିପ ଜାଣିଲା, ସେମାନେ ଚାଲି ଗଲେଣି; ସେଠୁ ଓପରକୁ ଆସି ଭାବିଲା, ‘‘ଓହୋ, ଜୀଇଗଲି । ଏ ଟେକା କିଆରୀରେ ପଡ଼ିଲେ କି ମଣିଷ ଜୀଏ ? ଦଇବ ଯୋଗରୁ ମୁଁ ଟେକା ତାଡ଼ି ଉପରୁ ପଡ଼ିନି, ପଡ଼ିଥିଲେ ତ ମୋ ବେକୁଟି ଭାଜି ଯାଇଥାନ୍ତା ।’’

 

ଟିପ ସେଠୁ ଆସୁ ଆସୁ ଦେଖିଲା, ସେହି କିଆରୀରେ ଆଉ ଗୋଟେ ବଡ଼ କଙ୍କଡ଼ାଗାତ ଅଛି । ସିଏ ସେଠୁ ଯାଇ ସେଇ ଗାତ ଭିତରେ ନିଘୋଡ଼ ନିଦରେ ଶୋଇ ପଡ଼ିଲା । ସେହି ସମୟକୁ ଦି’ଜଣ ଚୋର ସେ ବାଟେ ଯାଉଥିଲେ । ସେଥିରୁ ଜଣେ ଆଉ ଜଣକୁ କହିଲା, ‘‘ଭାଇ, ସେ ସାଧବ ଘରୁ କିମିତି ଚୋରେଇବା ?’’ ଟିପ ତଳେ ଗାତ ଭିତରେ ଥାଇ କହିଲା, ‘‘ମୁଁ ବତେଇ ଦେବି ।’’ ଚୋର ମଣିଷତୁଣ୍ଡ ଶୁଣି ଭାବିଲେ, ‘‘ଏ କ’ଣ, ଏ ତ ମଣିଷ ପାଟି ।’’ ଭୟରେ ସେ କାଠ ପରି ହୋଇଗଲେ । ଟିପ କହିଲା, ‘‘ମତେ ତମେ ସାଙ୍ଗରେ ନିଅ; ସାଧବ ଘରୁ କିମିତି ଚୋରି କରିବ, ମୁଁ ବତେଇ ଦେବି ।’’ ପାଟି ଶୁଣି ଚୋରମାନେ କହିଲେ, ‘‘ତମେ କିଏ କୁ’ଠି ଅଛ ? ଟିପ କହିଲା, ‘‘ମୋ ତୁଣ୍ଡ ବାରିକରି ତଳେ ଖୋଜ ।’’ ସେମାନେ ସେଠୁ ତଳେ ଖୋଜି ଖୋଜି କେତେ ବେଳକୁ ଟିପକୁ ପାଇଲେ । ଟିପ ତ ଏଡ଼ିକି ଛୋଟିଆଟିଏ, ତାଙ୍କ ମନକୁ ପାଇଲା ନାଇଁ; ସେମାନେ କହିଲେ, ‘‘ତୁ ତ ଏଡ଼ିକି ଟିକେ ହେଇଚୁ, ଆମ ପେଇଁ ତୁ କ’ଣ କରିବୁ ?’’ ଟିପ କହିଲା, ‘‘ମୁଁ ତ ପଞ୍ଜର କାଠିବାଟେ ଗଳି କରି ସାଧବ ଘରକୁ ପଶିଯିବି, ଆଉ ତମେ ଯାହା କହିବ ତମୁକୁ ବଢ଼େଇ ଦେବି-।’’ ଟିପର ଏ କଥା ଶୁଣି ସେମାନେ ଭାରି ଆନନ୍ଦିତ ହୋଇ ତାକୁ ସାଙ୍ଗରେ ନେଲେ ।

 

ସାଧବଘର ଦୁଆରକୁ ଆସିଲାରୁ ଟିପ ପଞ୍ଜର ବାଟେ ଘର ଭିତରକୁ ପଶିଗଲା । ସେଠି ଘର ଭିତରେ ରହି ତା’ ବଳେ ବଳେ ପାଟି କରି ଡାକିଲା, ‘‘ହଇ ହେ ଭାଇ, ହଇ ହେ ଭାଇ, ଘରେ ଯାହା ଅଛି ତା କ’ଣ ତମେ ସବୁ ନବ ?’’ ତା’ ପାଟି ଶୁଣି ଚୋର ଦିହେଁ ଭାରି ଭୟରେ ତାକୁ କହିଲେ, ‘‘ତୁନି ତୁନି କହ, କିଏ ଶୁଣିଲେ ଉଠିବ ।’’ ସତେ ଯିମିତି ଟିପ କାଲା, ତାକୁ ଶୁଘୁନି, ସେ ନ ଶୁଣିଲା ପରି ହେଇ ପାଟି କରି କହିଲା, ‘‘ତମେ କେତେ ନବ କହୁ ନା କାହିଁକି ? ଯାହା ଅଛି କ’ଣ ସବୁ ଦେବି ?’’ ତା’ ଆରପାଖ ଘରେ ସାଧବ ଘରର ହଳିଆ ଶୋଇଥିଲା । ସେ ଏ ପାଟି ଶୁଣି ଶେଯରୁ ଉଠି କାନେଇଲା । ଚୋର ଏଣେ ଭୟରେ ଥରିଲେଣି । କିଏ ଉଠିବ ବୋଲି ଧାଇଁ ଧାଇଁ ପଳେଇଲେ । ଫେରେ ଥିର୍‍ ଥିର୍‍ ଫେରି ଆସି ଟିପକୁ ତୁନି ତୁନି କରି କହିଲେ, ‘‘ଥାଉ ସିମିତି କଉତୁକ ହୋ ନା, ସୁନାରୂପା କ’ଣ ଅଛି ଏ ପାଖକୁ ଫିଙ୍ଗି ଦେ ।’’ ଟିପ ସେଇଠୁ ଆଉରି ପାଟି କରି କହିଲା, ‘‘ହଉ, ତେବେ ସେପାଖେ ହାତ ବଢ଼ାଅ, ମୁଁ ଦଉଚି ।’’ ହଳିଆ ଏଥର ଭଲକରି ଶୁଣି ପାରିଲା । ସେ ତରତର ହୋଇ ଶେଯରୁ ଉଠି ଧାଇଁଲା । ତା’ ଦେଖି ଚୋରମାନେ ଛାଡ଼ି ପଳେଇଲେ । ହଳିଆ ଅନ୍ଧାରରେ ଆଉ କ’ଣ ଦେଖିବ, ଏଣେ ତେଣେ ଚାହିଁଲା, ସେଠୁ ଆଲୁଅ ଆଣିବା ପେଇଁ ଗଲା । ଟିପ ୟା ଭିତରେ କ’ଣ କଲା, ନା, ଧାଇଁ ଧାଇଁ ଯାଇ ଯୋଉ ଘରେ ଗୋରୁ ଖାଇବା ପେଇଁ ଘାସ ପାଳ ଥାଏ, ସେଇ ଘରେ ପଶିଗଲା । ହଳିଆ ଆଲୁଅ ଧରି ଆସି ଚାରିକଣ ଯାକ ଖୋଜିଲା–କାହାକୁ ଦେଖିଲା ନାଇଁ । ତାକୁ ସବୁ ସପନ ପରି ଲାଗିଲା । ସେ ଯାଇ ପୁଣି ସେ ଘରେ ଶୋଇପଡ଼ିଲା । ଏଣେ ଟିପ କ’ଣ କଲା ନା, ପାଳଗୋଛା ଓପରେ ଚଢ଼ି ମହାମଉଜରେ ସେଠି ଶୋଇଲା । ବିଚାରିଲା, ‘‘କାଲି ସକାଳୁ ଖରା ପଡ଼ିଲେ ଗୋଟିଏ ଗୋଟିଏ ଘରକୁ ଯିବ ଭାରି-।’’ ମାତ୍ରକ ତା’ କପାଳରେ ତ ହଟହଟା ହବାକୁ ଅଛି, ସିଏ କିମିତି ଭଲରେ ଘରକୁ ଯାଆନ୍ତା-? ରାତି ପାଉ ନ ପାଉଣୁ ହଳିଆ ଉଠିଲା ଯେ ଗାଈକୁ ଖୁଆଇବ ବୋଲି, ସେଇ ପାଳରୁ କୁଣ୍ଢେ ନେଇ ଗୁହାଣିରେ ମଡ଼େଇ ଦେଲା । ସେ ପାଳ ଭିତରେ ଟିପଟି ନିଘୋଡ଼ ନିଦରେ ଶୋଇଥିଲା । ଟିପ ଏ କଥା ଆଉ କିଛି ଜାଣେ ନାଇଁ । ସିଏ ଗୁହାଣି ଭିତରେ ପଡ଼ି ସିମିତି ଶୋଇଚି-। ରାତିଯାକ ନ ଖାଇ ତ ଗାଈକୁ ଭୋକ କରୁଥିଲା, ସିଏ ‘ମାସୁ’ ‘ମାସୁ’ କରି ପାଳ ଖାଇ ଦେଇଗଲା । ଟିପର ନିଦ ଭାଜିଲା ବେଳକୁ କ’ଣ ହେଲାଣି ନା, ପୁଳେ ପାଳ ସାଙ୍ଗରେ ଗାଈ ତାକୁ ପାଟି ଭିତରକୁ ନେଇଗଲାଣି । ଟିପ ଏ କଥା ଦେଖି ତା’ ହଂସା ଉଡ଼ିଗଲା । ସେ ମହାପ୍ରଭୁଙ୍କୁ ଜଣେଇଲା, ‘‘ହେ ମହାପ୍ରଭୁ, ଏଥିରୁ ମତେ ରଖ ।’’ ହେଲେ, ତା’ କପାଳ ସଳଖ ଥିଲା । ଗାଈ ତାକୁ ନ ଚୋବେଇ ଗୋଟାସଧିଆ ଗିଳି ଦେଲା । ଟିପ ତହୁଁ ଥିର୍‍ ହେଇ ତୋଟି ବାଟେ ପେଟ ଭିତରକୁ ପଶିଗଲା । ଗାଈ ପେଟ ଭିତରୁଟାଯାକ ତ ଅନ୍ଧାର, ତାକୁ କିଛି ଭଲ ଲାଗିଲା ନାଇଁ । ସିଏ ଭାରି ବିରକତ ହେଇ କହିଲା, ‘‘ଇମିତି ଘରୁଟେ କିଏ କଲା ଯେ ଆଲୁଅ ଆସିବାକୁ ପଞ୍ଜରୁଟେ ବସେଇ ପାରିଲା ନାଇଁ ? ତା’ ନ କରି ବଳିତାଟିଏ ଜାଳି ଦେଇଥିଲେ ତ ଚଳନ୍ତା ।’’

 

ଟିପ ଗାଈ ପାଟିରୁ ବରତିଗଲେ କ’ଣ ହେଲା, ତାକୁ ସେ ଘର ଗୁଡ଼ାକ କିଛି ମନକୁ ପାଇଲା ନାଇଁ । ଆଉରି କ’ଣ ହେଲା ନା, ଗାଈ ବେଳକୁ ବେଳ ପାଳ ଚୋବେଇବାରୁ ତା’ ସବୁ ଯାଇ ପେଟ ଭିତରେ ଭରତି ହେଲା । ଟିପକୁ ତହୁଁ ସେ ଭିତରଟା ଆଉ ପରଚା ଲାଗିଲା ନାଇଁ । ଥାନ ନିଅଣ୍ଟ ହବାରୁ ସେ ପାଟିକରି କହିଲା, ‘‘ଓପରେ କିଏ ଅଛ ହେ କିଏ ଅଛ, ମୋର ଆଉ ପାଳ ଲୋଡ଼ା ନାଇଁ, ଆଉ ଦିଅନି ।’’ ଏତିକି ବେଳକୁ କ’ଣ ହେଇଚି ନା, ହଳିଆ ବସି ଗାଈ ଦୁହୁଁଚି । ସିଏ ଯିମିତି ଶୁଣିଲା ଚାରିଆଡ଼କୁ ଚାହିଁଲା, କେହି କୁଆଡ଼େ ନାହାନ୍ତି ଦେଖିଲା । ରାତିରେ ସିଏ ଯୋଉ ଶବଦ ଶୁଣି ଉଠିଥିଲା, ତାକୁ ସିମିତି ଜଣା ପଡ଼ିଲା । ଭୟରେ ତା’ ଦିହଟାଯାକ ଥରିଲା । ଘଡ଼ି ଫଡ଼ି ହାତରୁ ଖସି ପଡ଼ିଲା । ଗୋବର ଲଟ ପଟ ହୋଇ ଧାଇଁ ଧାଇଁ ଯାଇ ମାଧବକୁ କହିଲା, ‘‘ସାଉ କିଏ, ଗାଈଟା କଥା କହୁଚି !’’ ସାଧବ ତା’ କଥା ଶୁଣି ବିଚାରିଲା ହଳିଆ ବାୟା ହୋଇଗଲା । ହେଲେ, ତା’ ସାଥିରେ କ’ଣ ହୋଇଚି ଦେଖିବା ପେଇଁ ଗୁହଳାକୁ ଅଇଲା । ସିଏ ଗୁହାଳକୁ ପଶୁ ନ ପଶୁ ଟିପ ସେ ଆଡ଼େ ପେଟ ଭିତରେ ପାଟିକରି କହିଲା, ‘‘ମୋର ଆଉ ପାଳ ଲୋଡ଼ା ନାଇଁ ।’’ ସାଧବ ଶୁଣି ତା’ର ଭାରି ଭୟ ହୋଇଗଲା । ସିଏ ଭାବିଲା, ଗାଈକି କିଏ ମନ୍ତର କରିଦେଇ ଡାହାଣୀ ଲଗେଇ ଦେଇଚି । ସିଏ ତ ଏକ ଜାଠ, ତା’ର ଦୟାମାୟା କିଛି ନ ଥାଏ, ଏଡ଼େବଡ଼ ଠେଙ୍ଗା ଧଇଲା, ଗାଈକି ଦୂର୍‍ ଦୂର୍‍ ପିଟିଲା । ଆଖି ବୁଜି ଯିଏ ପିଟୁଚି ପିଟୁଚି, ଗାଈ ଏଣେ ତଳେ ପଡ଼ି ନିକାଶ୍‍ । ଗାଈର ପେଟ ଫାଟି ଅନ୍ତବୁଜୁଳା ବାହାରି ପଡ଼ିଲା । ସାଧବ ମନ ଦୁଃଖରେ ଘରକୁ ଗଲା । ହାଡ଼ି ଆସି ମଲା ଗାଈଟାକୁ ନେଇଗଲେ ଯେ, ତା’ ଅନ୍ତବୁଜୁଳାଟାକୁ ଖତ ଗଦାରେ ପକେଇ ଦେଇ ପଳେଇଲେ ।

 

ଅନ୍ତବୁଜୁଳା ଭିତରେ ଯୋଉ ଚରା ଥିଲା, ସେଥି ଭିତରେ ଟିପ ଥିଲା । ବଡ଼ କଷ୍ଟରେ ଖୁନ୍ଦାଳି ହୋଇ ଟିପ ସେ ଭିତରୁ ମୁଣ୍ଡ କାଢ଼ିଲା । ତା’ କପାଳରେ ତ ଆଉରି ଦୁଃଖ ଥିଲା; ସେଇ ସମୟକୁ କ’ଣ ହୋଇଚି ନା, ମାଉଁସ ଗନ୍ଧରେ ଗୋଟେ ଗଧିଆ ଆସି ଖତଗଦା ପାଖରେ ହାବୁଡ଼ିଚି-। ଟିପ ଯିମିତି ମୁଣ୍ଡ କାଢ଼ିଚି, ଗଧିଆ ସିମିତି ସେଇ ଅନ୍ତବୁଜୁଳା ସାଙ୍ଗରେ ତାକୁ ଗୋଟେ ବୁଙ୍ଗାରେ ଗିଳିଦେଲା । ଟିପ ଆଉ କ’ଣ କରିବ ? ଖାଲି ସାହସ ଧରି ରହିଲା । ଗଧିଆ ତ ମହା ଖୁସିରେ ଚାଲିଚି, ଟିପ ତା’ ପେଟ ଭିତରୁ ତାକୁ ଡାକି କରି କହିଲା, ‘‘ହଇ ହେ ଭାଇ, ଗୋଟେ ଜାଗାରେ ଭୋଜି ହଉଚି ଯିବ କି ? ଗଧିଆ କହିଲା, ‘‘କୁ’ଠି ?’’ ଟିପ ତା’ ନିଜ ଘର ନାଁ ନ କହି କହିଲା, ‘‘ଇମିତି ଗୋଟେ ଥାନ ଅଛି ଯେ, ତମେ ଯେବେ ସେଇ ଭିତରକୁ ଗଳି କରି ଯାଇ ପାରିବ କେତେ ପିଠା, କେତେ ମାଛ ମାଉଁସ, କେତେ କ’ଣ ଅଛି, ଯାହା ବିଚାରିବ ତା’ ଖାଇବ ।’’ ଗଧିଆ ତା’ ଶୁଣି ମହା ଆନନ୍ଦ ହେଲା । ସେ ଆଉ ଥରେ ପଚାରିବ କ’ଣ ? ସେଇ ରାତି ରାତି ଟିପ ଯେଉ ବାଟେ ବାଟେ ବାଟ ବତେଇଲା ସିଏ ସେଇ ବାଟେ ବାଟେ ଗଲା । ଯାଇ ଯାଇ ଟିପ ଘର ବାଡ଼ି ଦୁଆରେ ପହଞ୍ଚିଲା । ସେଠୁ ତାଙ୍କ ହାଣ୍ଡିଶାଳକୁ ଗୋଟେ ଗଳିଆ ବାଟ ଅଛି । କେଞ୍ଚିମେଞ୍ଚି ହୋଇ ସିଏ ସେଇ ବାଟେ ଘର ଭିତରକୁ ପଶିଲା । ସେଠି ତା’ ମନ ବୋଧକରି ଯେତେ ଯୋଉଠି ଯାହା ଥିଲା, ସବୁ ପେଟେ ଖାଇଲା । ଖାଇସାରି ଯିବାକୁ ବସିଲା । ଆଉ ଯିବ କିମିତି ? ଅଇଲାବେଳେ ଯୋଉ ବାଟେ ଆସିଥିଲା, ପେଟେ ଗିଳି ଦବାରୁ ଆଉ ସେ ବାଟେ ଗଳି ପାରିଲା ନାଇଁ । ଟିପର ଏତିକି ବେଳେ ପାଳି ପଡ଼ିଲା । ସିଏ ସେଠୁ ତା’ ବଳେ ବଳେ ପାଟି କଲା । ଗଧିଆ ତା’ ଶୁଣି ମନେ ମନେ ରାଗ ହେଇ କହିଲା–‘‘ତୁନି ହଉଚୁ କି ନାଇଁ, ପାଟିକଲେ ଯେ ସମସ୍ତେ ଉଠିବେ ।’’ ଟିପ ତ ମହା ପାରଖା, କହିଲା, ‘‘ମୋର କ’ଣ ହେଇଯିବ କି ? ତମେ ଖାଇ ପିଇ ଖୁସି ହେଲ, ମୁଁ ସିମିତି ଟିକିଏ ପାଟି କରି ଖୁସି ହେବି ନାଇଁ ?’’ ୟା କହି ଟିପ ଯେତେ ବଡ଼ ପାଟି କରିପାରେ, କଲା, ଗୀତ ଗାଇଲା । ଘରେ ପାଟି ଶୁଣି ଟିପର ବାପ ମାଆ ଉଠିଲେ କ’ଣ ହୋଇଚି ବୋଲି ଉହୁଙ୍କି କରି ଦେଖିଲା ବେଳକୁ ଦେଖିଲେ ହାଣ୍ଡିଶାଳରେ ଏଡ଼େ ଗଧିଆଟେ । ଗିରସ୍ତ ସେଠୁ ଧାଇଁ ଯାଇ ଗୋଟେ କୁରାଢ଼ୀ, ଆଉ ଗୋଟେ ଦା’ ଘିନି ଆଣିଲା । ଦା’ଟା ଭାରିଯା ହାତକୁ ବଢ଼େଇ ଦେଇ କହିଲା, ‘‘ତମେ ପଛରେ ଥିବ କି, ମୁଁ ଯିମିତି ତା’ ମୁଣ୍ତକୁ ପାହାରେ ପକେଇବି, ତମେ ତା ପେଟଟାକୁ ଦା’ରେ ଫୋଡ଼ି ଦବ ।’’ ଟିପ ଏ କଥା ଶୁଣି ପାଟି କରି କହିଲା, ‘‘ବାପା ! ବାପା ! ମୁଁ ଏ ଭିତରେ ଅଛି, ଗଧିଆ ମତେ ଗିଳି ଦେଇଚି ।’’ ଟିପ ପାଟି ଶୁଣି ବାପ କାଉଳି ବାଉଳି ହୋଇ ମହାପ୍ରହୁଙ୍କୁ କେତେ ଜଣେଇଲା । କହିଲା, ‘‘ମା’ ଭଗବତୀ ! ପାଟ ଦେବି, ଛତି ଦେବି, ଟିପ ମୋର ଶୁଭରେ ଆସୁ ।’’ ପେଟ ଫୋଡ଼ିଦେଲେ କାଳେ ପୁଅ ଦେହରେ ବାଜିବ ବୋଲି ମା’ ଦା’ ପକେଇ ଦେଲା । ବାପ ତେଣେ କସି କରି ଇମିତି ପାହାରେ ଗଧିଆ ମୁଣ୍ତକୁ ଦେଲା ଯେ, ସେଇ ପାହାରକେ ସିଏ ତଳେ ପଡ଼ି ମରିଗଲା । ବାପ ମାଆ ମିଶି ଗଧିଆ ପେଟ ଚିରି ପୁଅକୁ କାଢ଼ିଲେ । ଦିହେଁ ପୁଅକୁ କୁଣ୍ଢେଇ ପକେଇ କହିଲେ, ‘‘ଆହା ଧନ, କେତେ ସନ୍ତର ପନ୍ତରରେ ଥିଲୁ, ପ୍ରଭୁ ତତେ ଆଣିଲେ ।’’ ଟିପ କହିଲା, ‘‘ବାପା, ମୁଁ ତମ ପାଖରୁ ଗଲାଠୁଁ ରାଇଜଯାକ ବୁଲି ଅଇଲିଣି । ହେଲେ, ଆଜି ଟିକିଏ ମେଲାକୁ ବାହାରିଲି ।’’ ବାପା ସେଠୁ ପଚାରିଲା, ‘‘କାହିଁକି, ତୁ କୁ’ଠି ଥିଲୁ କି ?’’ ଟିପ କହିଲା, ‘‘ମୁଁ ତ ଗଲି, ସେ ଦିନ ଯାଇ ଗୋଟେ ମୂଷା ଗାତରେ ପଡ଼ିଲି । ସେଠୁ ଯାଇ ଗୋଟିଏ କଙ୍କଡ଼ା ଗାତରେ ରହିଲି । ତା’ ପରେ ପାଳ ସାଙ୍ଗରେ ଗାଈଟେ ମତେ ଗିଳି ଦେଲା । ଏବେ ତ ଦେଖୁଚ ଗଧିଆ ପେଟରୁ ବାହାରିଲି ।’’ ମାଆ ଲୁହ ଛଳ ଛଳ ହୋଇ ପୁଅକୁ ଜାକି ପକେଇ କହିଲା, ‘‘ଆହା ଧନ, କେତେ ଦୁଃଖ ପାଇଲୁ,. ଏଣିକି ରାଇଜ ଯାକ ସୁନାରୂପା ଗଦା କଲେ ତତେ ଆଉ ବିକିବୁ ନାଇଁ ।’’ ସେଇକ୍ଷିଣି ମା’ କେତେ କଥା ଆଣି ତାକୁ ଖାଇବାକୁ ବାଢ଼ି ଦେଲା । ବୁଲି ବୁଲି ତା’ ଲୁଗାପଟା ଚିରି ଯାଇଥିଲା ବୋଲି ବାପ ତା’ ପେଇଁ ଲୁଗା, ଅଙ୍ଗି କିଣି ଦେଲା । ଟିପ ବାପ ମାଆଙ୍କ ସାଙ୍ଗରେ ସୁଖରେ ରହିଲା ।

Image